ନଶ୍ବର ଗଡ଼ର ଡାକବାଜି: ନଗଡ଼ାକୁ ନେଇ ଏକ ଦୀର୍ଘ ଯାତ୍ରାର କାହାଣୀ

Naswar Nagada

1 37

ଭୁବନେଶ୍ବର: ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଯେଉଁ କେତୋଟି ଘଟଣା ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ଜନମାନସକୁ ଆନ୍ଦୋଳିତ କରିଥିଲା, ସେଗୁଡ଼ିକ ମଧ୍ୟରେ ଏକ ପ୍ରମୁଖ ସ୍ଥାନରେ ରହି ଆସିଛି ‘ନଗଡ଼ାର ଶିଶୁ ମଡ଼କ’। ୨୦୧୬ ମସିହାର ଏପ୍ରିଲ୍‌ରୁ ଜୁନ୍‌ ମାସ ମଧ୍ୟରେ ଅପପୁଷ୍ଟିର ଶିକାର ହୋଇ ୧୯ ଜଣ ନିରୀହ ଶିଶୁ ପ୍ରାଣ ହରାଇବା କେବଳ ରାଜ୍ୟ କାହିଁକି, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖୁବ୍‌ ଆଲୋଡ଼ନ ସୃଷ୍ଟି କରିଥିଲା। ଇତିମଧ୍ୟରେ, ଏହି ଘଟଣାକୁ ପାଞ୍ଚବର୍ଷ ବିତିସାରିଛି। ଏହି ପାଂଚବର୍ଷର କାଳଖଣ୍ଡ ମଧ୍ୟରେ ନଗଡ଼ାରେ ଅନେକ ପରିବର୍ତ୍ତନ ହୋଇଛି। ତେବେ, ଏହି ପରିବର୍ତ୍ତନକୁ ଭିତ୍ତିକରି ଖୁବ୍‌ଶୀଘ୍ର ଆଉ ଏକ ଉପନ୍ୟାସ ପ୍ରକାଶ ପାଇବାକୁ ଯାଉଛି, ‘ନଶ୍ବର ଗଡ଼ର ଡାକବାଜି’। ସାମ୍ବାଦିକ ରବିନାରାୟଣ କରଙ୍କ ସହିତ ଏହି ଉପନ୍ୟାସକୁ ଲେଖିଛନ୍ତି ଚିତ୍ତରଞ୍ଜନ ଚିରଞ୍ଜିତ, ଏହାର ପ୍ରକାଶନ ଭାର ଗ୍ରହଣ କରିଛନ୍ତି ‘ପଶ୍ଚିମା ପବ୍ଲିକେସନ୍’।
ସାମ୍ବାଦିକ ରବିନାରାୟଣ ‘ସମ୍ବାଦ’ର କାଳିଆପାଣି ପ୍ରତିନିଧି ଭାବେ ନଗଡ଼ା ଘଟଣାକୁ ପ୍ରଥମେ ଲୋକଲୋଚନକୁ ଆଣିଥିଲେ। ଏହାପୂର୍ବରୁ ଚିତ୍ତରଞ୍ଜନ ପୂର୍ବରୁ ନଗଡ଼ାର ଶିଶୁ ଘଟଣାକୁ ଭିତ୍ତିକରି ‘ଯୋଦ୍ଧା’ ନାମକ ଏକ ଉପନ୍ୟାସ ଲେଖିଥିଲେ। ‘ଯୋଦ୍ଧା’ ପ୍ରଥମେ ୨୦୧୭ ମସିହା ଫେବ୍ରୁଆରି ମାସ ‘କଥା’ର ସ୍ବନକ୍ଷତ୍ର ବିଶେଷାଙ୍କରେ ସମ୍ପୂର୍ଣ୍ଣ ପ୍ରକାଶ ପାଇଥିଲା। ଏହାପରେ ଜୁଲାଇ ମାସରେ ପୁସ୍ତକାକାରରେ ପ୍ରକାଶ ପାଇଲା। ପ୍ରଥମ ଉପନ୍ୟାସ ପରେ ଦ୍ବିତୀୟ ଉପନ୍ୟାସ ଲେଖିବାର ଆବଶ୍ୟକତା ସମ୍ପର୍କରେ ଚିତ୍ତରଞ୍ଜନ କୁହନ୍ତି, ‘ ଯୋଦ୍ଧା ଥିଲା ଜଣେ ଦଶବର୍ଷର ଶିଶୁର କାହାଣୀ, ଯିଏକି ନିଜ ସାନଭାଇକୁ ବଂଚାଇବା ପାଇଁ ଉଦ୍ୟମ କରୁଛି। ମାତ୍ର, ନଶ୍ବର ଗଡ଼ର ଡାକବାଜି ହେଉଛି ଦଶଜଣ ଶିଶୁଙ୍କ କାହାଣୀ। ଏହି ଉପନ୍ୟାସରେ ଯେଉଁ ଦଶଜଣ ଶିଶୁଙ୍କ ସମ୍ପର୍କରେ ଅବତାରଣା କରାଯାଇଛି, ତାହା ହିଁ ନଗଡ଼ାର ନଖଦର୍ପଣ। ଦଶଜଣ ଶିଶୁଙ୍କ କାହାଣୀ ପଢ଼ି ସାରିବା ପରେ ପାଠକେ ନିଶ୍ଚୟ ସମ୍ପୂର୍ଣ୍ଣ ଭାବେ ନଗଡ଼ାକୁ ପ୍ରଦକ୍ଷିତ କରିସାରିଥିବେ ଏବଂ ଏହାର ପରିବର୍ତ୍ତନ ଭିତରେ ଜୁଆଙ୍ଗ ଜୀବନ କେତେ ଜାଜୁଲ୍ୟମାନ ହୋଇଛି ତାହାର ଚିତ୍ର ପାଇ ସାରିଥିବେ’।
ଉପନ୍ୟାସର ମୁଖବନ୍ଧ ଲେଖିବା ସହ ଏ ସମ୍ପର୍କରେ ନିଜର ସୁଚିନ୍ତିତ ମତ ରଖିଛନ୍ତି ବିଶିଷ୍ଟ କବି, ସ୍ତମ୍ଭକାର ତଥା ପ୍ରଶାସକ ରଂଜନ କୁମାର ଦାସ। ନଗଡ଼ା ଶିଶୁମଡ଼କ ଘଟଣା ଓ ତତ୍‌ଜନିତ ପରିସ୍ଥିତିର ମୁକାବିଲା ସମୟରେ ଶ୍ରୀ ଦାସ ଯାଜପୁରର ଜିଲ୍ଲାପାଳ ଥିଲେ ଏବଂ ଏବେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ। ସେ ଉଲ୍ଲେଖ କରିଛନ୍ତି, ‘ ଯୋଦ୍ଧା ଥିଲା ଜଣେ ତରୁଣ ବାଳକର ତା’ ସାନଭାଇକୁ ବଂଚାଇବା ପାଇଁ ଅଦ୍ୟମ ସଂଘର୍ଷର କାହାଣୀ। ମାତ୍ର, ନଶ୍ବର ଗଡ଼ର ଡାକବାଜି ଏକ ବୃହତ୍ତର କାନ୍‌ଭାସ ଉପରେ ଗଢ଼ିଉଠିଥିବା ଘଟଣା ପ୍ରବାହର ଦସ୍ତାବିଜ୍। ଯୋଦ୍ଧା ଥିଲା ଯାତ୍ରା ପୂର୍ବର କାହାଣୀ, ନଶ୍ବର ଗଡ଼ର ଡାକବାଜି ଏକ ଦୀର୍ଘ ଯାତ୍ରାର କାହାଣୀ। ’
ଖୁବ୍‌ଶୀଘ୍ର ଏହି ଉପନ୍ୟାସର ପାଠକାର୍ପଣ ହେବ ବୋଲି କହିଛନ୍ତି ପଶ୍ଚିମା ପବ୍ଲିକେସନ୍‌ର ସ୍ବତ୍ତ୍ବାଧିକାରୀ ଅଶୋକ ମହାନ୍ତି।

1 Comment
  1. Carlton.B says

    I was reading some of your articles on this site and I conceive this website is real informative!
    Retain posting.Leadership

Leave A Reply

Your email address will not be published.