ଦ୍ବାଦଶ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ

1 169

ଦ୍ଵାଦଶ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ
——————————————————–
*ମାନବ ଜୀବନର ଉତ୍ତରଣ ପାଇଁ ପଞ୍ଚଶୀଳ ହିଁ ଶ୍ରେଷ୍ଠ ମାର୍ଗ*

ବୌଦ୍ଧଭିକ୍ଷୁ ବୁଦ୍ଧଦତ୍ତ ଥେରୋ ଦେଲେ ଆଶିର୍ବଚନ
———————————++++++++++++
ବାଲିଚନ୍ଦ୍ରପୁର ୨୮|୧୧ ( ବିଶେଷ ପ୍ରତିନିଧି ) ନୈତିକ ଶିକ୍ଷl ଦ୍ଵାରା ମଣିଷର ମନ ପବିତ୍ର ଓ ଶୁଦ୍ଧ ହୋଇଥାଏ l ଏହା ଦ୍ଵାରା ଆମ ଭିତରେ ପୁଣ୍ୟ ଭାବନା ସୃଷ୍ଟି ହୋଇଥାଏ l କାମ କ୍ରୋଧ ଲୋଭ ଓ ବ୍ୟଭିଚାର ପରିତ୍ୟାଗ କଲେ ମନ ପବିତ୍ର ହେବା ସହ କର୍ମ ଶୁଦ୍ଧି ହୋଇଥାଏ । ସାଂସାରିକ ଜୀବନଚର୍ଯ୍ୟା ଭିତରେ ଥାଇ ମଧ୍ୟ ବୁଦ୍ଧଙ୍କ ନିର୍ଦ୍ଦେଶିତ ପଞ୍ଚଶୀଳ ଆଚରଣ କଲେ ମଣିଷ ଜୀବନ ସାର୍ଥକ ହୋଇଥାଏ ବୋଲି କହିଛନ୍ତି ବିଶିଷ୍ଟ *ବୌଦ୍ଧଭିକ୍ଷୁ ବୁଦ୍ଧଦତ୍ତ ଥେରୋ* ।
*ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି* ପକ୍ଷରୁ ଆୟୋଜିତ ଦ୍ଵାଦଶ ଉଦୟଗିରି ବୁଦ୍ଧ ମହୋତ୍ସବକୁ ରବିବାର ପୂର୍ବାହ୍ନରେ ଉଦଘାଟନ କରି ବାଙ୍ଗାଲୋର ମହାବୋଧି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ବୌଦ୍ଧଭିକ୍ଷୁ କହିଥିଲେ ଯେ, ପ୍ରତ୍ୟହ ନିଜ ମନକୁ ନିଜେ ଅନୁଶୀଳନ କଲେ ଆମେ ଜାଣିପାରିବା ଯେ, ଆମ ମନ କେତେ ଶୁଦ୍ଧ ଓ ପବିତ୍ର l ମନ ପରିଷ୍କାର ନରହିଲେ ଜ୍ଞାନ ପ୍ରାପ୍ତି ହେବ ନାହିଁ l ଅଷ୍ଟାଙ୍ଗ ମାର୍ଗ ମଣିଷର ଜୀବନରେ ଅଛି , ତାକୁ ପାଳନ କରିବା ହେଉଛି ବଡ କଥା ।ଦାନ ଭିତରେ ଶ୍ରେଷ୍ଠ ଦାନ ହେଉଛି ଜ୍ଞାନଦାନ l ପଂଚଶୀଳ, ଧ୍ୟାନ ଓ ପ୍ରଜ୍ଞା ଦ୍ଵାରା ଜ୍ଞାନଚକ୍ଷୁ ରେ ଏହି ମନର ବାସ୍ତବ ଅନ୍ୱେଷଣକୁ ଦେଖିପାରିବେ ବୋଲି ଆଶିର୍ବଚନ ପ୍ରଦାନ କରି ସେ କହିଥିଲେ। ବିଶ୍ଵ ଐତିହ୍ୟ ସପ୍ତାହ ପାଳନ ଅବସରରେ ଆୟୋଜିତ ବୌଦ୍ଧିକ ଆଲୋଚନା ଚକ୍ରରେ ଡଃ ଅରୁନ୍ଧତୀ ଦେବୀ ସଭାପତିତ୍ବ କରିଥିଲେ l ମୁଖ୍ୟ ଅତିଥି ଭାବେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅବସରପ୍ରାପ୍ତ ନିର୍ଦ୍ଦେଶକ ଅଶୋକ କୁମାର ପଟେଲ ଯୋଗ ଦେଇ କହିଲେ, ଭୌମକର ବଂଶର ରାଜଧର୍ମ ଥିଲା ବୌଦ୍ଧ ଧର୍ମ l ଯାଜପୁର ଜିଲାରେ ଭୌମକର ରାଜ ବଂଶର ଶାସନ ଥିବାରୁ ଏହି ଜିଲାରେ ବୌଦ୍ଧଧର୍ମର ବ୍ୟାପକ ବିକାଶ ଘଟିଥିଲା l ବିଶିଷ୍ଟ ଅତିଥି ଭାବେ ଭାରତୀୟ ମହୋଦଧି ସୋସାଇଟିର ଟ୍ରଷ୍ଟି ଡକ୍ଟର ସୌରେନ୍ଦ୍ର କୁମାର ମହାପାତ୍ର ଯୋଗ ଦେଇ କହିଲେ ଯେ, ବୁଦ୍ଧ ଧର୍ମ କେବଳ ଏକ ସ୍ୱତନ୍ତ୍ର ଧର୍ମ ନୁହେଁ l ଏହା ଜୀବନର ଏକ ଦର୍ଶନ l ପଂଚଶୀଳ ଅନୁସରଣ କଲେ ଜଣେ ଦିବ୍ୟତ୍ୱ ଲାଭ କରିପାରିବ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡଃ ଜୀବନ କୁମାର ପଟ୍ଟନାୟକ କହିଲେ ଯେ, ବିଶ୍ଵ ମାନଚିତ୍ରରେ ଉଦୟଗିରିର ସ୍ଥାନ ସ୍ୱତନ୍ତ୍ର ଓ ଅସାଧାରଣ l ଏହା ବୁଦ୍ଧ ଧର୍ମର ଉତ୍ପତ୍ତି ସ୍ଥଳ କହିଲେ ଭୁଲ ହେବନାହିଁ l ଉତଖନନ ପରେ ଏଠାରୁ ଯାହା ମିଳିଛି ତାହା ଅନ୍ୟ ଠାରୁ ମିଳିନାହିଁ l ଏଠାରୁ ମିଳିଥିବା ମୋହର, କୁଶାଣ ମୁଦ୍ରା, ଶିଳାଲେଖ, ପ୍ରସ୍ତର ଫରୁଆ ଓ ପଂଚରଥଶୈଳୀରେ ନିର୍ମିତ ବିରଳ ସିଂହପ୍ରସ୍ଥ ବୌଦ୍ଧମହାବିହାର ଉଦୟଗିରି କୁ ବିଶ୍ଵପ୍ରସିଦ୍ଧ କରିଛି l ଏଣୁ ଏହାର ପ୍ରଚାର ପ୍ରସାର ପାଇଁ ସ୍ଵତନ୍ତ୍ର ଉଦ୍ୟମ ହେବା ଦରକାର l ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପଗିରି ପରିଷଦର ସଭାପତି ବିଷ୍ଣୁଚରଣ ମହାନ୍ତି ଓ ବଡଚଣା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ପ୍ରଧାନ ମଧ୍ୟ ଉଦବୋଧନ ଦେଇଥିଲେ। ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ସାମ୍ବାଦିକ ଶୁଭେନ୍ଦୁ କୁମାର ଭୂୟାଁ ଉତ୍ସବ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ l ମହୋତ୍ସବ ସମିତିର ଆବାହକ ମହେଶ୍ୱର ବଳ ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ଯୁଗ୍ମ ଆବାହକ ଶୈଳେନ୍ଦ୍ର ନାରାୟଣ ରାୟ ଧନ୍ଯବାଦ ଦେଇଥିଲେ l
ପ୍ରାରମ୍ଭରେ ବୌଦ୍ଧଭିକ୍ଷୁ ଥେରୋ ବୁଦ୍ଧ ବନ୍ଦନା ଗାନ ସହ, ଶ୍ରୀ ଶରଣ ଗମନ ଓ ପଂଚଶୀଳ ଗାନ କରିଥିଲେ । ଏହି ଅବସରରେ ତାଙ୍କୁ ମହୋତ୍ସବ ସମିତି ପକ୍ଷରୁ ସଂଘଦାନ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ *ରୁଚି ପ୍ରତିଭା ଫାଉଣ୍ଡେସନ* ପକ୍ଷରୁ ପୁରସ୍କାର ପ୍ରଦାନ ସହ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡଃ ଭାଗ୍ଯଧର ସାହୁ, ଶୋଭନୀୟ ଶିକ୍ଷାଶ୍ରମର ବରଦା ଗୁରୁମା’, ରାମଚନ୍ଦ୍ର ସାମଲ, ଉମାକାନ୍ତ ବଳ, ଉମେଶ ପ୍ରଧାନ, ବାବନ ଚରଣ ଜେନା, ସରୋଜ କୁମାର ବଳ, ଅଜୟ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମୃଣୟୀ କଲଚରାଲ ସୋସାଇଟି ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।। 🍁🌳🍁

1 Comment
  1. бнанс акаунт says

    I don’t think the title of your article matches the content lol. Just kidding, mainly because I had some doubts after reading the article.

Leave A Reply

Your email address will not be published.