ଭିତିରି କଥା: କଂଗ୍ରେସକୁ ଖସାଇ ଟିଏମସିକୁ ଆଗକୁ ନେବାକୁ କାହିଁକି ଇଚ୍ଛୁକ ପ୍ରଶାନ୍ତ କିଶୋର?

ନୂଆଦିଲ୍ଲୀ: କୁହାଯାଏ ରାଜନୀତିରେ କିଛି ଅସମ୍ଭବ ନୁହେଁ। କିନ୍ତୁ, ଗୁରୁବାର ପ୍ରଶାନ୍ତ କିଶୋରଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଆଉ କଂଗ୍ରେସରେ ତାଙ୍କ ହାତ ମିଶାଇବେ ନାହିଁ। ପ୍ରଶାନ୍ତ ଏବେ ମମତା ବାନାର୍ଜୀଙ୍କ ଟିଏମିସକୁ ସାରା ଦେଶରେ ଆଗକୁ ବଢାଇବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଗକୁ ଟିଏମସି କଂଗ୍ରେସକୁ କଡା ସମାଲୋଚନା କରି ଆଗକୁ ବଢିବ । ଆଉ ଶାସକ ଦଳ ବିଜେପି ବିରୋଧରେ ହାଲା ବୋଲ କରିବାକୁ କମର କଷିଛନ୍ତି ଦିଦି । ବିଜେପି ସରକାର ବେଳେ କଂଗ୍ରେସ ସର୍ବଦା ବିରୋଧୀ ଦଳର ରହି ଆସୁଛି । ଏବେ ଏହି ଆସନ ଉପରେ ନଜର ପକାଇଛନ୍ତି ବେଙ୍ଗଲ ଦିଦି ।

ଗୁରୁବାର ପ୍ରଶାନ୍ତ କିଶୋର କହିଛନ୍ତି ଗତ ଦଶ ବର୍ଷ ମଧ୍ୟରେ 90% ନିର୍ବାଚନରେ ​​ହାରିଥିବା ଦଳ ବିରୋଧୀ ଦଳର ନେତୃତ୍ୱ ନେବାର କୌଣସି ଅଧିକାର ରଖିନି । ନିକଟରେ କିନ୍ତୁ ପ୍ରଶାନ୍ତ କିଶୋର କଂଗ୍ରେସ ହାଇକମାଣ୍ଡ ସୋନିଆ ଏବଂ ରାହୁଲଙ୍କ ସହ ବସାଉଠା କରୁଥିଲେ । କୁହାଯାଉଥିଲା ସେ ଖୁବଶୀଘ୍ର କଂଗ୍ରେସରେ ସାମିଲ ହୋଇ ବିଜେପିକୁ ୟୁପି ଏବଂ ଅନ୍ୟାନ୍ୟ ରାଜ୍ୟରେ ଚେକ୍ ଦେବେ । କିନ୍ତୁ ନିକଟରେ ଜେଡିୟୁରୁ ଦଳ ବିରୋଧୀ କାମ ପାଇଁ ତଡା ଖାଇଥିବା ପ୍ରଶାନ୍ତଙ୍କ କୂଟନୀତିକୁ ନେଇ କଂଗ୍ରେସ ନେତା ଘରଭଙ୍ଗା ବୋଲି ଚିତ୍ରଣ କରିଥିଲେ ସୋନିଆଙ୍କ ପାଖରେ । ଯେଉଁଥିପାଉଁ ହାତ ପାର୍ଟି ପ୍ରଶାନ୍ତଙ୍କ ପାଇଁ ସବୁ ରାସ୍ତା ବନ୍ଦ କରି ଦେଇଥିଲା। ସବୁଠୁ ବଡ କଥା ହେଲା କଂଗ୍ରେସ ନେତା କୁଆଡେ ସୋନିଆଙ୍କ ପାଖରେ କହିଛନ୍ତି ଯେ କଂଗ୍ରେସ ନିର୍ବାଚନରେ ହାରିବା ମଞ୍ଜୁର କିନ୍ତୁ ପ୍ରଶାନ୍ତଙ୍କ ଭଳି ବ୍ୟକ୍ତିକୁ କଂଗ୍ରେସରେ ଗୁରୁତ୍ୱ ଦେବାକୁ ସେମାନେ ଗ୍ରହଣ କରିବେନି ।

ପ୍ରଶାନ୍ତ କିଶୋରଙ୍କ ଆଇପିଏସିର ସଂସ୍ଥାର ଜଣେ ସଦସ୍ୟ ସୋଶାଆଲ ମିଡିଆରେ ଏକ ଓଡିଓ କନଫେରନିଂସରେ ଯୋଗ ଦେଇ ପରୋକ୍ଷରେ ଅନେକ କଥା କହିଛନ୍ତି । ଯଦି ଏହି କଥାକୁ ବିଶ୍ୱାସ କରାଯାଏ ତାହେଲେ ପ୍ରଶାନ୍ତ କୁଆଡେ ତାଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ଚିନ୍ତିତ । ମୋଦୀ, ଜଗନ୍ନ ରେଡ୍ଡୀ, ଷ୍ଟାଲିନ, ମମତା ଆଦିଙ୍କୁ ନିଜ ନିଜ ଲକ୍ଷ୍ୟସ୍ଥଳରେ ପହଂଚାଇବାରେ ସହଯୋଗ କରିଥିବା ଏହି ରଣନୀତିଜ୍ଞ ଆଗାମୀ ଦିନରେ ଦେଶର ବଡ ନେତା ହେବାକୁ ଲକ୍ଷ୍ୟ ରଖିଛନ୍ତି । ଯେଉଁଥିପାଇଁ ସେ କଂଗ୍ରେସରେ ସାମିଲ ହୋଇ ବିଜେପିକୁ ଚେକ୍ ଦେବାକୁ ଲକ୍ଷ୍ୟ ରଖିଥିଲେ।

ଆଇପିଏସିର ଜଣେ ବ୍ୟକ୍ତି ନାମ ଗୋପନା ରଖିବା ସର୍ତ୍ତରେ କହିଛନ୍ତି, କଂଗ୍ରେସରେ ପ୍ରଶାନ୍ତଙ୍କୁ ନେଇ ସନ୍ଦେହ ଘେରରେ ରଖିଥିଲେ। ସେ ସାମିଲ ହେଲେ ଦଳକୁ ସେ ନିଜ ହାତକୁ ନେଇପାରନ୍ତି ବୋଲି ସମ୍ଭାବନା ରଖିଥିଲେ। ସେଥିପାଇଁ ପ୍ରଶାନ୍ତ ଯେଉଁ ସବୁ ସର୍ତ୍ତ ରଖିଥିଲେ ତାକୁ କଂଗ୍ରେସ ଗ୍ରୀନ ସିଗନାଲ ଦେଇନଥିଲା। ପ୍ରଶାନ୍ତ କିଶୋର କଂଗ୍ରେସର ମହାସଚିବ ହେବାକୁ ପ୍ରଥମ ସର୍ତ୍ତ ରଖିଥିଲେ। ଯାହାକୁ ଜି -23 ନେତା ଗ୍ରହଣ କରିନଥିଲେ। ପ୍ରଶାନ୍ତଙ୍କ ଦ୍ୱିତୀୟ ସର୍ତ୍ତ ଥିଲା ଯେ ସେ କଂଗ୍ରେସ ତରଫରୁ ସମଗ୍ର ନିର୍ବାଚନ ପ୍ରଚାରର ନେତୃତ୍ୱ ନେବେ ଏବଂ ଏଥିରେ କୌଣସି ନେତା ହସ୍ତକ୍ଷେପ କରିବେ ନାହିଁ। କଂଗ୍ରେସ ଅନେକ ନିର୍ବାଚନରେ ​​ହାରିଯିବା ଗ୍ରହଣୀୟ, କିନ୍ତୁ ପ୍ରଶାନ୍ତଙ୍କ ପ୍ରବେଶ ଗ୍ରହଣୀୟ ନୁହେଁ ! ବୋଲି ଏପରି ସର୍ତ୍ତକୁ ନେଇ କଂଗ୍ରେସ ନେତା କହିଥିବା ସୂଚନା ରହିଛି।

ଏହାପରେ କଂଗ୍ରେସ ନେତା ମାନେ କୁଆଡେ କହିଥିଲେ ଆମେ ଗୋଟିଏ କିମ୍ବା ଦୁଇଟି ନିର୍ବାଚନରେ ​​ହାରିଗଲେ ମଧ୍ୟ ପ୍ରଶାନ୍ତ କିଶୋରଙ୍କୁ ଦଳରେ ଯୋଗଦେବାକୁ ଦେବୁ ନାହିଁ। କଂଗ୍ରେସର ଶୀର୍ଷ ନେତୃତ୍ୱ ଏହାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଯେହେତୁ ଦଳର ସର୍ବୋଚ୍ଚ ନେତୃତ୍ୱ ଚାହୁଁଥିଲେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦିଅନ୍ତୁ କିନ୍ତୁ ବିନା କୌଣସି ସର୍ତ୍ତରେ। ପ୍ରଶାନ୍ତ ଚାହୁଁ ନଥିଲେ ଯେ ସେ ଦଳର ଏକ ନେତା ହୋଇ ରୁହନ୍ତୁ ।ଏହା ମଧ୍ୟ କୁହାଯାଇଛି ଯେ କିଛି କଂଗ୍ରେସ ନେତା ହାଇକମାଣ୍ଡଙ୍କୁ ମଧ୍ୟ କହିଛନ୍ତି ଯେ ଯଦି ପ୍ରଶାନ୍ତ ନିଜ ସର୍ତ୍ତରେ ଦଳକୁ ଆସନ୍ତି ତେବେ ସେ ଆଗାମୀ ଦିନରେ ଦଳକୁ ନିଜ କବଜାକୁ ନେଇଯିବେ । ଅନେକ ବଡ ନେତା ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଥିଲେ ଯେ ପ୍ରଶାନ୍ତ ଆସିଲେ ସେ ଦଳ ଛାଡିବେ। ଏହି କାରଣରୁ, ହାଇ କମାଣ୍ଡ୍ ପ୍ରଶାନ୍ତଙ୍କୁ ଗୁରୁତ୍ୱ ଦେବା ବନ୍ଦ କରିଦେଲା।

ତେବେ ପ୍ରଶାନ୍ତ ଭାବିଥିଲେ କଂଗ୍ରେସ ଅକଳରେ ପଡିଛି ତେଣୁ ତାଙ୍କ ଦାବିକୁ ଗାନ୍ଧୀ ପରିବାର ଗ୍ରହଣ କରିବ । ହେଲେ କଂଗ୍ରେସ ତାଙ୍କ ଉପରେ ‘ନୋ ଏଣ୍ଟ୍ରିଂ’ ହୋର୍ଡିଂ ଲଗାଇବା ପରେ ଦିଦି ତାଙ୍କୁ ଆଦରି ନେଇଛନ୍ତି। ଟିଏମସିକୁ ଆଗକୁ ସାରା ଦେଶରେ ପ୍ରତିଷ୍ଠା କରିବାକୁ ମମତା ପ୍ରଶାନ୍ତଙ୍କୁ ଟେଣ୍ଡର ଦେଇଛନ୍ତି। ଆଉ ଯଦି ପ୍ରଶାନ୍ତ ସଫଳ ହେବେ ତାହେଲେ ଟିଏମସିରେ ତାଙ୍କୁ ବଡ ପଦ ଦିଆଯିବ ବୋଲି ଦିଦି କହିଥିବା ସୂଚନା ରହିଛି।

Comments (104)
Add Comment