ଚାଷୀଙ୍କ ଘର ବାହୁଡ଼ା ଆରମ୍ଭ

farmers strike

ନୂଆଦିଲ୍ଲୀ: ହକ ପାଇଁ ଲଢ଼େଇ କରୁଥିବା ଚାଷୀଙ୍କ ଘରବାହୁଡ଼ା ଆଜିଠାରୁ ଆରମ୍ଭ ହୋଇଛି।  ଦିଲ୍ଲୀ ସୀମାକୁ ଖାଲି କରିବା ସହିତ ଘରକୁ ଫେରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ସେମାନଙ୍କୁ ଦାବି ମାନିବେ ବୋଲି ପ୍ରତିଶ୍ରୁତି ଦେବା ପରେ କୃଷକ ସଂଗଠନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସେମାନେ ଆଜି ବିଜୟ ଦିବସ ପାଳନ କରିବା ସହ ଘର ମୁହାଁ ହୋଇଛନ୍ତି।

ବିଜୟ ଯାତ୍ରାରେ ସାମିଲ ହୋଇ ଚାଷୀମାନେ ନାଚଗୀତ କରୁଥିବା ବେଳେ ନିଜ ନିଜ ଗାଁକୁ ଦୀର୍ଘ ଗୋଟିଏ ବର୍ଷ ପରେ ଫେରୁଥିବାରୁ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। କିଛି ଚାଷୀ ମଧ୍ୟ କାନ୍ଦୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ସିଙ୍ଘୁର, ଟିକରି ଓ ଗାଜିପୁର ସୀମାନ୍ତରୁ ଗୋଟିଏ ସମୟରେ ଚାଷୀଙ୍କ ବିଜୟ ଯାତ୍ରା ବାହାରିଛି।

ପ୍ରକୃତରେ ଶୁକ୍ରବାର ଚାଷୀମାନେ ବିଜୟ ଯାତ୍ରା ପାଳିବାର ଥିଲା। କିନ୍ତୁ ତାମିଲନାଡୁ ହେଲିକପ୍ଟର କ୍ରାଶରେ ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିବାରୁ ଏହି ବିଜୟ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଚାଷୀମାନେ ମଧ୍ୟ ଜେନାରାଲ ରାୱତ ଓ ଅନ୍ୟମାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ।

ଆଜି ସକାଳୁ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଥିବା ନିଜର ଟେଣ୍ଟକୁ ଖୋଲିବା ସହ ଗାଁ ଅଭିମୁଖେ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀ ସୀମାରୁ ଚାଷୀମାନେ ହରିଆଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଥିବା ନିଜ ନିଜ ଘରକୁ ଫେରିବେ। ସେମାନଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟବସ୍ଥା ହୋଇଛି। ସେମାନେ ବିଭିନ୍ନ ଗାଡ଼ି ଓ ଟ୍ରାକ୍ଟର୍‌ରେ ନିଜ ନିଜ ଗାଁକୁ ଫେରୁଛନ୍ତି।

କୃଷି ଆଇନ ଉଚ୍ଛେଦ ଦାବିରେ ଶତାଧିକ ଚାଷୀ ୨୦୨୦ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ବିକ୍ଷୋଭ ଆରମ୍ଭ କରିଥିଲେ। କୃଷି ଆଇନ୍‌ ଫେରାଇ ନେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା ଓ ଲୋକସଭା ଏବଂ ରାଜ୍ୟସଭାରେ ଆଇନକୁ ପ୍ରତ୍ୟାହାର କରାଯାଇଥିଲା। ତେବେ ଚାଷୀମାନେ ଏମଏସ୍‌ପିର ଗ୍ୟାରେଣ୍ଟି, ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଥିଲେ। ଦିନକୁ ଦିନ ଚାପ ବଢ଼ିବାରୁ କେନ୍ଦ୍ର ସରକାର ଚାଷୀଙ୍କ ସବୁ ଦାବି ମାନିବେ ବୋଲି ମଙ୍ଗଳବାର ଲଖିତ ପ୍ରତିଶ୍ରୁତି ଦେଇଥିଲେ।

ଘରକୁ ଫେରିବାର ୨ ଦିନ ପରେ ଚାଷୀମାନେ ସ୍ୱର୍ଣ୍ଣ ମନ୍ଦିର ଯିବେ। ଡିସେମ୍ବର ୧୫ ସୁଦ୍ଧା ଚାଷୀ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଶେଷ ହେବ ବୋଲି ଚାଷୀ ନେତା ଦର୍ଶନପାଲ ସିଂହ ସୂଚନା ଦେଇଛନ୍ତି।

Comments (0)
Add Comment