ଓମିକ୍ରନ: ଟିକା କାମ ଦେବ ତ?

ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଆଣ୍ଟର ରୂପ ଓ ଲକ୍ଷଣ ସେମିତି କିଛି ସ୍ପଷ୍ଟ ହୋଇନାହିଁ । ସ୍ଥିତି ଏମିତିଯେ ପ୍ରଥମେ କରୋନାକୁ ଯେପରି ଭାବରେ ଚିହ୍ନଟ କରାଯାଇପାରୁନଥିଲା ସେହିପରି ଓମିକ୍ରନକୁ ଚିହ୍ନଟ କରିହେଉ ନାହିଁ। ଓମିକ୍ରନରେ ବ୍ରିଟେନ ସମେତ ଅନେକ ଦେଶରେ ମୃତ୍ୟୁ ହେଉଥିବା ରିପୋର୍ଟ ଆସିଛି। କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା ଓମିକ୍ରନକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ମନ୍ତବ୍ୟ। ଅନ୍ଧାରରେ କିଏ ବାଡି ବୁଲାଉଛି ତାହା ଏଯାବତ ସ୍ପଷ୍ଟ ହୋଇପାରୁନି । ବରଂ ମିଡିଆକୁ ବିବୃତ୍ତି ରଖିବାବେଳେ ମନ ଇଚ୍ଛା ପ୍ରତିକ୍ରିୟା ଦେଉଛନ୍ତି ବୋଲି କୁହାଯାଉଛି।

ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଥିଲେ ସମସ୍ତେ ଯଥାଶୀଘ୍ର ଟିକା ନେବା ଜରୁରୀ । କୋଭିଡ୍ ଟିକା ଶତ ପ୍ରତିଶତ ନ ହେଲେ ବି ଓମିକ୍ରନରୁ ସୁରକ୍ଷା ମିଳିବ। ଟିକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁ ମୁଖରେ ପଡ଼ିବାର ଆଶଙ୍କା କମ୍ ରହିବ। ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇଛନ୍ତି। ତେଣୁ ଯଥାଶୀଘ୍ର ଟିକା ନେବାକୁ ପଡ଼ିବ। ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି। ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟିକା ନେଇନାହାନ୍ତି। ଅର୍ଥାତ୍ ଟିକା ହିଁ ଓମିକ୍ରନ ଦାଉରୁ ସୁରକ୍ଷା ଦେଇପାରିବ ବୋଲି ବିଜୟ ପାଣିଗ୍ରାହୀ କହିଲେ।

ସେହିପରି କେନ୍ଦ୍ର ସରକାରଙ୍କ କୋଭିଡ୍ ଟିକା ଟାକ୍ସଫୋର୍ସ ମୁଖ୍ୟ ଡ.ଭି.କେ.ପଲ୍ କହିଛନ୍ତି ଆମ ଦେଶରେ ଏପର୍ଯ୍ୟନ୍ତ ଦିଆଯାଇଥିବା ଟିକାଗୁଡ଼ିକ ଓମିକ୍ରନ ଆଗରେ ପ୍ରଭାବହୀନ ହୋଇଯିବାର ଆଶଙ୍କା ରହିଛି। ନୂଆ ଭ୍ୟାରିଆଣ୍ଟ ଟିକା ଗୁଡ଼ିକ ପ୍ରଭାବହୀନ ହୋଇପାରେ । ଏଥିପାଇଁ ପ୍ରତିବର୍ଷ ଆମକୁ ଟିକାରେ ପରିବର୍ତ୍ତନ କରିବାକୁ ହେବ। ଆଗକୁ ମଧ୍ୟ ନୂଆ ନୂଆ ଭାରିଆଣ୍ଟ ଆସିପାରେ ଏହାକୁ ଦୃଷ୍ଟିରେ ରଖି ଟିକାରେ ପରିବର୍ତ୍ତନ କରିବାକୁ ହେବ। ସେହିପରି ବୈଜ୍ଞାନିକ ଡ.ଅନୁରାଗ ଅଗ୍ରଓ୍ବାଲ କହିଛନ୍ତି ଯେ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଅତିକ୍ରମ କରିବାର କ୍ଷମତା ରହିଛି ଓମିକ୍ରନ ଭ୍ୟାରିଆଣ୍ଟ ପାଖରେ।

ଉଲ୍ଲେଖଯୋଗ୍ୟ, ବ୍ରିଟେନରେ ଓମିକ୍ରନରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଟିକା ନେଇଥିଲେ।  ହେଲେ ସେ ଗୁରୁତର ହେବାରୁ ପ୍ରାଣ ହରାଇଛନ୍ତି । ଯଦିଓ ଟିକା ନେଇ ଡେଲଟା ଭଳି ଭ୍ୟାରିଆଣ୍ଟ ଆଉ ସେତେ ଉଗ୍ରରୂପ ନେଇପାରିଲା ନାହିଁ ବୋଲି କୁହାଯାଉଛି କିନ୍ତୁ ଓମିକ୍ରନ ଡେଲଟା ତୁଳନାରେ ଅଧିକ ବ୍ୟାପୁଥିବାରୁ ଏହା ଡେଲଟାଠୁ ଅଧିକ ପ୍ରଭାବୀ ବୋଲି କୁହାଯାଉଛି।

Comments (2)
Add Comment