‘ଭଲ ଲୋକ ପଇସା ସଞ୍ଚି ପାରନ୍ତିନି…!’ ସର୍ଭେ

‘ମେଳାପୀ, ଭଦ୍ର, ଅମାୟିକ, ଅନ୍ୟମାନଙ୍କୁ ନିଜର ପରି ଭାଲ ପାଉଥିବା ମଣିଷମାନେ ମଣିଷ ପଣିଆରେ ସିନା ଜିତି ଯାଆନ୍ତି, ହେଲେ ଅର୍ଥ ପାଖରେ ହାର୍ ମାନନ୍ତି । ଅର୍ଥାତ୍ ଟଙ୍କା ରୋଜଗାର କରିବାରେ ସେମାନେ ଯଥେଷ୍ଟ ପଛରେ ପଡିଯାଆନ୍ତି । ସେମାନଙ୍କ ରୋଜଗାର ଖାଲି ସୀମିତ ରହେ, ସେକଥା ନୁହେଁ, ଯେତିକି ରୋଜଗାର କରନ୍ତି, ତାକୁ ମଧ୍ୟ ଠିକଣା ଭାବେ ଖର୍ଚ କରିପାରନ୍ତିନି । ଫଳରେ ଟଙ୍କାଟେ ବି ସଂଚୟ କରି ରଖିବା ସେମାନଙ୍କ ପାଖେ କଷ୍ଟକର ହୋଇପଡେ ।’

ଏହା କୌଣସି ବିଦ୍ୱାନ ପ୍ରବଚକଙ୍କ ପ୍ରବଚନ ନୁହେଁ କି କୌଣସି ନୀତିଶାସ୍ତ୍ରର ଉଧୃତାଂଶ ନୁହେଁ, ବିଜ୍ଞାନ ହିଁ ଏକଥା କହିଛି । ବୈଜ୍ଞାନିକମାନେ ଗବେଷଣା କରି ଏପରି ତଥ୍ୟ ପ୍ରଦାନ କରିଛନ୍ତି । ସାଧାରଣତଃ ଯେଉଁମାନଙ୍କୁ ସମାଜରେ ମେଳାପୀ ବା ଭଲଲୋକ ବୋଲି କୁହାଯାଇଥାଏ, ସେମାନଙ୍କ ଆର୍ଥିକ ଅବସ୍ଥା ଅନ୍ୟମାନଙ୍କଠ ଯଥେଷ୍ଟ ନିମ୍ନରେ ଥାଏ ବୋଲି ୟୁନିଭରସିଟି କଲେଜ ଲଣ୍ଡନ ପକ୍ଷରୁ ପ୍ରକାଶିତ ‘ଜର୍ଣ୍ଣାଲ୍ ଅଫ୍ ପର୍ସନାଲିଟି ଆଣ୍ଡ ସୋସିଆଲ ସାଇକୋଲୋଜି’ ଏକ ରିପୋର୍ଟରେ ଏକଥା ଉଲ୍ଲେଖ କରାଯାଇଛି ।

ବିଶ୍ୱବ୍ୟାପୀ ୩ ନିୟୁତ ଲୋକମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସର୍ଭେ ଦାୟିତ୍ୱରେ ଥିବା ଗବେଷକଜିଓ ଗ୍ଲାଡଷ୍ଟୋନ୍ କହନ୍ତି, ‘ଏହି ସର୍ଭେରେ ୩ ନିୟୁତ ଲୋକମାନଙ୍କୁ ସାମିଲ କରାଯାଇ ସେମାନଙ୍କ ବ୍ୟବହାରକୁ ବିଶ୍ଳେଷଣ କରାଯାଇଥିଲା । ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଆୟ ଓ ବ୍ୟୟର ଟିକିନିକି ବିବରଣୀ ମଧ୍ୟ ଯାଞ୍ଚ କରାଯାଇଥିଲା । ବିଭିନ୍ନ ପ୍ରଶ୍ନଗୁଡିକର କିଏ କେଉଁ ପ୍ରକାର ଉତ୍ତର ଦେଲେ, ତାକୁ ଆଧାର କରି ଭଲ ଲୋକ ବଛା ଯାଇଥିଲା । ତେବେ ସେହି ଭଲଲୋକମାନଙ୍କୁ ଆୟ ବ୍ୟୟକୁ ହିସାବ କରିବା ପରେ, ସେମାନଙ୍କ ଆୟ ତୁଳନାରେ ବ୍ୟୟ ଅଧିକ ଜଣା ପଡିଲା ।’

ଗ୍ଲାଡଷ୍ଟୋନଙ୍କ କହିବା ଅନୁଯାୟୀ, ଭଲଲୋକମାନେ ପଇସା ରଖି ନ ପାରିବାର କାରଣ ତାଙ୍କ ଭଲଲୋକୀ ପଣିଆ ନୁହେଁ, ବରଂ ଏହାର ପ୍ରମୂଖ କାରଣ ହେଲା ସେମାନେ ପଇସାର ମୂଲ୍ୟ ବୁଝି ପାରନ୍ତିନି । ଅର୍ଥାତ୍ ସେମାନେ ଜୀବନରେ କେବେବି ଟଙ୍କା ପଇସାକୁ ସେମିତି ଗୁରୁତ୍ୱ ଦିଅନ୍ତି ନାହିଁ, ଯେପରି ଗୁରୁତ୍ୱ ହିସାବୀ ଲୋକମାନେ ଦେଇଥାନ୍ତି । ଅର୍ଥାତ୍ ହିସାବୀ ଲୋକେ ନିଜ ଆୟ ତୁଳନରେ ବ୍ୟୟ ଯଥେଷ୍ଟ କମ୍ ରଖି ସଂଚୟ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଭଲଲୋକମାନେ କେବେବି ଟଙ୍କା ପଇସାର ହିସାବ ରଖନ୍ତି ନାହିଁ । ଫଳରେ ସେମାନଙ୍କ ସଂଚୟ ଖାତା ଶୂନ ହୋଇଯାଏ । ଖାଲି ସେତିକି ନୁହେଁ, ଆର୍ଥିକ କୁପରିଚାଳନା ଯୋଗୁ ଅନେକ ସମୟରେ ସେମାନେ ଋଣଜାଲରେ ଛନ୍ଦିହୋଇ ବିପଦକୁ ବରଣ କରନ୍ତି ।

Comments (0)
Add Comment