ଚୁଟ୍‌କିରେ ଛାଡିହେବ ସିଗାରେଟ୍‌…ଗୁଟ୍‌ଖା: ଏହି ଉପାୟ କରନ୍ତୁ

How to say No to cigarette

ନୂଆଦିଲ୍ଲୀ: ସିଗାରେଟ୍‌,ଗୁଟ୍‌ଖା, ପାନ, ଖଇନି ଇତ୍ୟାଦି ତମାଖୁ ଜାତୀୟ ଦ୍ରବ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଏଗୁଡିକ ସ୍ଲୋ ପଏଜନ୍ । ବିଶ୍ୱବ୍ୟାପି ପ୍ରତିବର୍ଷ ୮୦ ଲକ୍ଷ ଲୋକ ଏଥିରେ ମୃତ୍ୟୁବରଣ କରୁଛନ୍ତି । ସିଗାରେଟ ପିଇବା ବା ତମାଖୁ ଖାଇବା କେତେ ମାରାତ୍ମକ, ଏକଥା ନିଜେ ଏହାକୁ ଖାଉଥିବା ଲୋକବି ଜାଣନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ପରିତ୍ୟାଗ କରିବାକୁ ମଧ୍ୟ ଇଚ୍ଛୁକ । କିନ୍ତୁ ନିଶା କବଳରେ ପଡି ଯାଇଥିବାରୁ ଏହାକୁ ଛାଡିବା ମଧ୍ୟ ଏତେ ସହଜ ହୋଇ ନ ଥାଏ । ତେବେ ଏହାକୁ ଛାଡିବାର ସରଳ ଓ ଅତି ସହଜ ସୂତ୍ର ବତାଇଛନ୍ତି ପ୍ରଖ୍ୟାତ ଅଲଟରନେଟିଭ୍ ମେଡିଶିନ୍ ବିଶେଷଜ୍ଞ ଡ. ଯୋଗେଶ କୁମାର । ଆସନ୍ତୁ ଜାଣିବା ଡ. ଯୋଗେଶଙ୍କ ଦ୍ୱାରା ଦିଆଯାଇଥିବା ସିଗାରେଟ ଛାଡିବାର ସହଜ ଓ ସରଳ ସୂତ୍ର ।

 କାହିଁକି ସିଗାରେଟ୍ ଛାଡିବାକୁ ଚାହୁଁଚନ୍ତି, ତା’ର କାରଣ ଲେଖନ୍ତୁ-

  • ଆପଣ ଯଦି ସିଗାରେଟ୍ ଛାଡିବାକୁ ଚାହୁଁଛନ୍ତି, ତାହେଲେ କାହିଁକି? ଏହା ପଛରେ କାରଣ କଣ? ସିଗାରେଟ୍ ଟାଣିବା ଦ୍ୱାରା ନିଜର କ୍ଷତି ହେଉଛି, ନା ନିଜ ପିଲା ଓ ପରିବାର ଲୋକଙ୍କ ଉପରେ ଆପଣଙ୍କ ସେବନର ପରୋକ୍ଷ ପ୍ରଭାବ ପଡୁଛି, ନା ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ନକରାତ୍ମକ ପ୍ରଭାବ ପଡୁଛି, ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ ।

 ଆପଣଙ୍କ ଟଙ୍କା କେମିତି ବଢୁଛି ଦେଖନ୍ତୁ:

  • ସିଗାରେଟ୍ ଛାଡିବା ପୂର୍ବରୁ ଆପଣ ହୁଏତ ବିଶ୍ୱାସ କରିପାରିବେନି ଯେ, ସିଗାରେଟ୍‌ରେ ଆପଣଙ୍କ କେତେ ଟଙ୍କା ସରୁଛି । ଆପଣ ଥରେ ସିଗାରେଟ୍ ଛାଡି ଦିଅନ୍ତୁ, ଦେଖିବେ ଆପଣଙ୍କର କେତେ ଟଙ୍କା ବଂଚୁଛି, ଯାହା ହୁଏତ ଆପଣ ନିଜେ ବି ବିଶ୍ୱାସ କରିପାରିବେନି । ଯଦିଓ ଏହା ଆପଣଙ୍କ ଆୟ ତୁଳନାରେ ବହୁତ କମ୍ ହୋଇପାରେ, ତେବେ ଏହି ଟଙ୍କାକୁ ପ୍ରତିମାସ ଏକ ସେପାରେଟ୍ ବ୍ୟାଙ୍କ ଆକାଉଁଟ୍‌ରେ ଜମା କରନ୍ତୁ, ଆଉ କିଛିବର୍ଷ ପରେ ଦେଖନ୍ତୁ, ସିଗାରେଟ୍ ଛାଡି ଆପଣ କେତେ ଟଙ୍କା ସଂଚୟ କରିପାରିଛନ୍ତି! ନିଜେ ବି ବିଶ୍ୱାସ କରିପାରିବେନି!

ସିଗାରେଟ୍‌ର ବିକଳ୍ପ ଖୋଜି ରଖିଥାନ୍ତୁ:

  • ସିଗାରେଟ୍ ଛାଡିବା ପୂର୍ବରୁ ଏହାର ବିକଳ୍ପ ଖୋଜି ରଖିଥାନ୍ତୁ । କାରଣ ନିକୋଟିନ ଆମ ମସ୍ତିଷ୍କରେ ଯେଉଁ ଡୋପାମିନ୍ ତିଆରି କରିଥାଏ, ତାହା ବାରମ୍ବର ଆମକୁ ସିଗାରେଟ୍ ମନସ୍କ କରାଏ । ତେଣୁ ସିଗାରେଟ୍ ଛାଡିବା ପରେ ଯେତେବେଳେ ମନ ସେଆଡକୁ ଟାଣି ହୋଇଯିବ, ସେତେବେଳେ ଆମକୁ ଏହାକୁ ଅଟକାଇବାର ଅଛି । ତେଣୁ ଯେଉଁ ସମୟରେ ଆପଣ ବେଶି ସିଗାରେଟ୍ ଟାଣିଥାନ୍ତି, ସେହି ସମୟରେ ପାଟି ଓ ହାତ ଉଭୟକୁ ବ୍ୟସ୍ତ ରଖିବାର ଅଛି । କିଛି ଲୋକ ଭୋଜନ ପରେ, ସକାଳୁ ନିଦରୁ ଉଠି, ରାତିରେ ଅଫିସରୁ ଘରକୁ ଫେରିବା ପରେ ବେଶୀ ସିଗାରେଟ୍ ଟାଣିଥାନ୍ତି । ତେଣୁ ଆମକୁ ଏହି ସମୟ ପାର୍ କରାଇବାର ଅଛି । ପାଟିର ବିକଳ୍ପ ଭାବେ ଲଜେନ୍ସ, ଖଟାମିଠି ଚକୋଲେଟ୍‌, ଚୁଇଂଗମ୍‌, କିଛି ନାଜାଲ୍ ସ୍ପ୍ରେ ମଧ୍ୟ ନେଇପାରିବେ । ସେହିପରି ଗାଡି ଚଲାଇ, କୌଣସି ବାଦ୍ୟ ଯଂତ୍ର ବଜାଇ, ବା ବହି ପଢି ଆମେ ହାତକୁ ନିୟନ୍ତ୍ରଣରେ ରଖି ପାରିବା ।

ପରିବାର ଲୋକଙ୍କ ସହଯୋଗ ନିଅନ୍ତୁ:

  • ସିଗାରେଟ୍ ଛାଡିବାକୁ ମାନସିକ ଭାବେ ଯୋଜନା କରିବା ପରେ ନିଜ ପତ୍ନୀ, ପରିବାର ଲୋକ ଏବଂ ଅଫିସରେ ସହକର୍ମୀମାନଙ୍କ ସହଯୋଗ ଲୋଡନ୍ତୁ । କାରଣ ସେମାନେ ମଧ୍ୟ ଆପଣଙ୍କୁ ଏହି ସମୟରେ ଭାରପୂର ସହଯୋଗ କରିବେ ।

ସିଗାରେଟ୍ ଧୂଆ ସଂସ୍ପର୍ଶରେ ଆସିଥିବା ସବୁଗୁଡିକ ଧୋଇଦିଅନ୍ତୁ:

  • ସିଗାରେଟ୍ ଛାଡିବା ପୂର୍ବ ଦିନରୁ ହିଁ ଏହି ଧୂଆଁ ସଂସ୍ପର୍ଶରେ ଆସିଥିବା ସଗୁଡିକ ଧୋଇ ସଫା କରିଦିଅନ୍ତୁ । କାରଣ ଏହି ଧୂଆଁର ସ୍ମେଲ୍ ମଧ୍ୟ ଆପଣଙ୍କୁ ସିଗାରେଟ୍ ମନସ୍କ କରାଇପାରେ । ସେ ପୋଷାକ ପତ୍ର ହେଉ ବା ଗାଡି, କି ବୈଠକଖାନାର କାର୍ପେଟ, ସ୍କ୍ରିନ୍ ଇତ୍ୟାଦି । ଏଥିରେ କିଛି ସୁନ୍ଦର ସୁଗନ୍ଧିତ ବାସ୍ନା ସ୍ପ୍ରେ କରାନ୍ତୁ ।

ଟକ୍‌ଟକ୍ ପାଟିର କଂଟ୍ରୋଲ କରନ୍ତୁ:

  • ସିଗାରେଟ ଛାଡିବା ପରେ ସବୁଠୁ ବେଶି ଟକ୍‌ଟକ୍ ହେବ ପାଟି, ବେଳେ ବଳେ ତଂଟି ଓ ଜିଭ ଶୁଖିଗଲା ପରି ଲାଗିବ । ତେବେ ଜାଣି ରଖନ୍ତୁ, ବାସ୍ତବରେ ଏପରି କିଛି ହୋଇ ନ ଥାଏ । ଏହା କେବଳ ମସ୍ତିଷ୍କରେ ଲୁଚି ରହିଥିବା ସୈତାନ୍ ଡୋପାମିନ୍‌ର ଖେଳ । ତେଣୁ ଖୁଜୁବୁଜୁ ପାଟି ପାଇଁ ସେପରି କିଛି ଖୁଜୁବୁଜିଆ ଖାଦ୍ୟ ଆପଣ ପୂର୍ବରୁ ଯୋଗାଡ କରି ରଖାଥାନ୍ତୁ, ଯାହା ଡୋପାମିନ୍‌କୁ ହରାଇ ପାରିବ ।

ସିଗାରେଟ୍ ଛାଡିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ:

  • ଥରେ ଭାବି ଦେଖନ୍ତୁ, ଆପଣ ପ୍ରଥମେ ସିଗାରେଟ୍ ଟାଣିବା ଜାଣି ନ ଥିଲେ । କାହାର ନା କାହାର ସଂସ୍ପର୍ଶରେ ଆସି ଆପଣ ସିଗାରେଟ୍ ପିଇବା ଶିଖିଲେ । ସେହିପରି ସିଗାରେଟ୍ ଛାଡିବା ସମୟରେ, ସିଗାରେଟ୍ ପିଉ ନ ଥିବା, ବା ଟାଣି ଛାଡି ସାରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ । ବିଶେଷ କରି ଏକଦା ଚେନ୍ ସ୍ମୋକର ହୋଇ ମଧ୍ୟ ଏହାକୁ ଛାଡି ସାରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ, ବା ଅନ୍‌ଲାଇନ୍‌ରେ ସେମାନଙ୍କୁ ଖୋଜନ୍ତୁ, ଓ ସେମାନଙ୍କ କାହାଣୀ ଶୁଣନ୍ତୁ । ଏହି ସନ୍ଧିକ୍ଷଣରେ କିଛି ମୂଲ୍ୟବାନ ଟିପ୍‌ସ ଆପଣଙ୍କୁ ନିଶ୍ଚିତ ମିଳିଯିବ ।

ସବୁବେଳେ କିନ୍ତୁ ଗୋଟିଏ କଥା ମନେ ରଖିଥିବେ, ମୋତେ ସିଗାରେଟ୍ ଛାଡିବାର ଅଛି, ଯେକୌଣସି ପରିସ୍ଥିତି ଆସୁ ନା କାହିଁକି । ଏତିକି ମାତ୍ର ଜୀବନ ଶୈଳୀରେ ପରିବର୍ତନ କରନ୍ତୁ ଆଉ ଦେଖନ୍ତୁ, ସିଗାରେଟ୍ ଛାଡିବା କେତେ ସହଜ! ଆଉ ସିଗାରେଟ୍ ଛାଡି ସାରି ଦେଖନ୍ତୁ ତା ଯିବା ପରେ ଜୀବନଟା କେଡେ ସୁନ୍ଦର!

health
Comments (0)
Add Comment